ନ୍ୟୁୟର୍କରେ ବିଶ୍ୱର ସବୁଠୁ ବଡ ରେଳ ଷ୍ଟେସନ, ଏକାସାଙ୍ଗରେ ଅଟକିଥାଏ ୪୪ଟି ଟ୍ରେନ୍

ଆମେରିକାର ନ୍ୟୁୟର୍କ ସିଟିରେ ରହିଛି ବିଶ୍ୱର ସବୁଠୁ ବଡ ରେଳ ଷ୍ଟେସନ । ଯାହାର ନାମ ଗ୍ରାଣ୍ଡ ସେଣ୍ଟ୍ରାଲ ଟର୍ମିନାଲ ରେଳ ଷ୍ଟେସନ । ସର୍ବବୃହତ ରେଳ ଷ୍ଟେସନ ଭାବେ ଏହା ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ମଧ୍ୟ ସ୍ଥାନ ପାଇଛି । କ୍ଷେତ୍ର ଦୃଷ୍ଟିରୁ ଏହା ବିଶ୍ୱର ସବୁଠୁ ବଡ ରେଳ ଷ୍ଟେସନ ନୁହେଁ, ବରଂ ସର୍ବାଧିକ ସଂଖ୍ୟକ ପ୍ଲାଟଫର୍ମ ଦୃଷ୍ଟିରୁ ଏହା ସବୁଠୁ ବଡ଼ ।

ଗିନିଜ ୱାର୍ଲ୍ଡ ରେକର୍ଡର ରିପୋର୍ଟ ଅନୁଯାୟୀ, ଏହି ରେଳ ଷ୍ଟେସନ ୧୯୦୩-୧୯୧୩ ମସିହା ମଧ୍ୟରେ ନିର୍ମିତ ହୋଇଥିଲା । ୪୮ ଏକରରେ ନିର୍ମିତ ଏହି ଷ୍ଟେସନରେ ସମୁଦାୟ ୪୪ ଟି ପ୍ଲାଟଫର୍ମ ରହିଛି । ଏଠାରେ ପ୍ରାୟ ୪୪ ଟି ଟ୍ରେନ୍ ଏକାସାଙ୍ଗରେ ଅଟକି ଥାଏ । ଗୋଟିଏ ଦିନରେ ୧.୨୫ ଲକ୍ଷ ଯାତ୍ରୀ ଏଠାରୁ ଯାତ୍ରା କରିଥାନ୍ତି । କେବଳ ଏତିକି ନୁହେଁ, ପ୍ରତ୍ୟେକ ଦିନ ପ୍ରାୟ ୬୬୦ଟି ଟ୍ରେନ୍ ଏହି ଷ୍ଟେସନ ଦେଇ ଯାତାୟତ କରିଥାଏ । ଏହାର ଦୁଇଟି ଭୂତଳ ସ୍ତର ଅଛି । ପ୍ରଥମ ସ୍ତରରେ ୪୧ ଟି ଟ୍ରାକ ଥିବାବେଳେ ଦ୍ୱିତୀୟ ସ୍ତରରେ ୨୬ ଟି ଟ୍ରାକ ଅଛି । ଏଠାରେ ଆଉ ଏକ ଗୁପ୍ତ ପ୍ଲାଟଫର୍ମ ରହିଛି, ଯାହା ଷ୍ଟେସନ ନିକଟରେ ଥିବା ୱାଲଡୋର୍ଡ ଆଷ୍ଟୋରିଆ ହୋଟେଲ ତଳେ ରହିଛି ।
ଭାରତ ବିଷୟରେ କହିବାକୁ ଗଲେ ପ୍ଲାଟଫର୍ମ ଦୃଷ୍ଟିରୁ ସବୁଠୁ ବଡ ରେଳ ଷ୍ଟେସନ ହେଉଛି ହାୱଡ଼ା ରେଳ ଷ୍ଟେଶନ । ଯେଉଁଠାରେ ସମୁଦାୟ ୨୩ ଟି ପ୍ଲାଟଫର୍ମ ରହିଛି ।

Related Articles

Back to top button