ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଲେ ମୁରଲୀ ବିଜୟ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ନ୍ୟାସ ନେଲେ ଟିମ୍ ଇଣ୍ଡିଆର ଭେଟେରାନ କ୍ରିକେଟର ମୁରଲୀ ବିଜୟ। ୩୮ ବର୍ଷ ବୟସରେ ସେ ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ସୋମବାର(ଜାନୁଆରୀ ୩୦) ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ମୁରଲୀ ବିଜୟ।

ମୁରଲୀ ବିଜୟଙ୍କର ଲଗାତର ଖରାପ ପ୍ରଦର୍ଶନ ଯୋଗୁ ତାଙ୍କୁ ଟିମ୍‌ରୁ ବାଦ୍ ଦିଆଯାଇଥିଲା। ଏହାପରେ ସେ ଆଉ ଦଳକୁ ଫେରି ପାରିନଥିଲେ। ଟିମ୍ ଇଣ୍ଡିଆ ପାଇଁ ଟେଷ୍ଟରେ ଓପନିଂ କରୁଥିବା ବିଜୟ ୨୦୧୮ରେ ବାରମ୍ବାର ଖରାପ ପ୍ରଦର୍ଶନ କରିଥିଲେ। କର୍ଣ୍ଣାଟକର ବେଙ୍ଗାଲୁରୁରେ ଅଫଗାନିସ୍ତାନ ବିପକ୍ଷରେ ସେ ମାତ୍ର ଗୋଟିଏ ଶତକ ହାସଲ କରିଥିବାରୁ ବିଜୟଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌ରେ ଖେଳିବାକୁ ମଉକା ମିଳି ନଥିଲା।

ଭାରତ ପାଇଁ ଓପନିଂ ଆସୁଥିବା ବିଜୟ ଟେଷ୍ଟ କ୍ୟାରିୟରରେ ମାତ୍ର ୬୧ଟି ମ୍ୟାଚ୍ ଖେଳିଛନ୍ତି। ସେଥିରେ ୧୨ ଶତକ, ୧୫ ଅର୍ଦ୍ଧଶତକ ହାସଲ କରିଛନ୍ତି। ୩୮.୨୮ ହାରରେ ବିଜୟ ମୋଟ ୩୯୮୨ ରନ୍ କରିଛନ୍ତି। ତାମିଲ ନାଡୁର ଏହି କ୍ରିକେଟ୍ ଷ୍ଟାର୍‌ ଆଇପିଏଲ୍‌ରେ ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି। ଚେନ୍ନାଇ ପକ୍ଷରୁ ଖେଳି ଆଇପିଏଲ୍‌ରେ ଦୁଇଟି ଶତକ ହାସଲ କରିଛନ୍ତି। ୧୦୬ ମ୍ୟାଚ୍‌ରୁ ୧୨୧.୮୭ ହାରରେ ବିଜୟ ୨୬୧୯ ରନ୍ କରିଛନ୍ତି। ଅନ୍ୟପଟେ ଟିମ୍ ଇଣ୍ଡିଆ ପାଇଁ ବିଜୟ ୧୭ଟି ଦିନିକିଆ ମ୍ୟାଚ୍ ଖେଳିଥିବା ବେଳେ ୯ଟି ଟି–୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ।୨୦୦୮ରେ ଭାରତୀୟ ଦଳ ପାଇଁ ଅନ୍ତର୍ଜାତୀୟ ଫର୍ମାଟ୍‌ରେ ଡେବ୍ୟୁ କରିଥିବା ମୁରଲୀ ବିଜୟ ୨୦୧୮ରେ ଶେଷ ଅନ୍ତର୍ଜାତୀୟ ଟେଷ୍ଟ ମ୍ୟାଚ୍ ଖେଳିଥିଲେ।

Related Articles

Back to top button